ଦ ଲାଷ୍ଟ୍ ସପ୍ପର୍ (ଇଂରାଜୀ ଭାଷାରେ The Last Supper) ପଞ୍ଚଦଶ ଶତାବ୍ଦୀର ଶେଷ ଆଡ଼କୁ ପ୍ରସିଦ୍ଧ ଇଟାଲୀୟ ଚିତ୍ରକର ଲିଓନାର୍ଡ଼ୋ ଦା ଭିନ୍ସିଙ୍କଦ୍ୱାରା ମିଲାନ ସହରର ସାନ୍ତା ମାରିଆ ଡେଲ୍ଲେ ଗ୍ରାଜି ଗୀର୍ଜାଘରର କାନ୍ଥରେ ଅଙ୍କିତ ଏକ ଚିତ୍ର । ଏହି ଚିତ୍ରଟି ପାଶ୍ଚାତ୍ୟ ଜଗତର ଏକ ଅତି ପ୍ରସିଦ୍ଧ କଳାକୃତି ।[୧]
୧୪୯୫-୯୬ ମସିହାରେ ଏହି ଚିତ୍ରର ଅଙ୍କନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ମିଲାନର ରାଜା ଲୁଡୋଭିକୋ ଫୋର୍ଜାଙ୍କ ପୃଷ୍ଠପୋଷକତାରେ ଗୀର୍ଜାଘରର ନବୀକରଣ ସମୟରେ ଏହି ଚିତ୍ରଟି ପ୍ରତିଷ୍ଠିତ ହୋଇଥିଲା । ବାଇବେଲ ଧର୍ମଗ୍ରନ୍ଥର ଗସ୍ପେଲ୍ ଅଫ୍ ଜନ୍ (Gospel of John – ଜନ୍ଙ୍କ ଶିକ୍ଷା) ପୁସ୍ତକର ୧୩:୨୧ ଅଂଶରେ ଯୀଶୁଙ୍କୁ କୃଶବିଦ୍ଧ କରିବା ପୂର୍ବରୁ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଏକତ୍ର କରିଥିବା ଶେଷ ରାତ୍ରି ଭୋଜନର ଦୃଶ୍ୟ ବା କଥା ଏହି ଚିତ୍ରରେ ଦର୍ଶିତ ।[୨] ଭୋଜନ ସମୟରେ ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ବୋଲି ଯୀଶୁଙ୍କ ଉଦଘୋଷଣା ଶୁଣି ଶିଷ୍ୟମାନଙ୍କ ଭାବରେ ପରିବର୍ତ୍ତନକୁ ଏହି ଚିତ୍ରରେ ଲିଓନାର୍ଡ଼ୋ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ।
ସେ କାଳର ଚିତ୍ରାଙ୍କନ ମାଧ୍ୟମ ଓ ପ୍ରଣାଳୀ, ପାରିବେଶିକ ପ୍ରଭାବ ଓ ଚିତ୍ରକୁ ନଷ୍ଟ କରିବାର କୁପ୍ରଚେଷ୍ଟା ଯୋଗୁଁ ବର୍ତ୍ତମାନ ମୂଳ ଚିତ୍ରର ଖୁବ୍ କମ୍ ଅଂଶ ତିଷ୍ଠି ରହିଛି । ତେବେ ଏହି ଚିତ୍ରର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ଏବଂ ତନ୍ମଧ୍ୟରୁ ସର୍ବଶେଷ ପ୍ରକଳ୍ପ ୧୯୯୯ରେ ସମ୍ପୂର୍ଣ୍ଣ ହୋଇଥିଲା ।
ଦ ଲାଷ୍ଟ୍ ସପ୍ପର୍ ଚିତ୍ରର ମାପ ୪୬୦ ସେ.ମି. × ୮୮୦ ସେ.ମି. ଓ ଏହା ସାନ୍ତା ମାରିଆ ଗୀର୍ଜାଘରର ଗୋଟିଏ କାନ୍ଥକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ଅଙ୍କିତ । ଲିଓନାର୍ଡ଼ୋ ଏହି ଚିତ୍ରଟି ଆଙ୍କିବା ସମୟରେ ଏହି ଘରଟି ଏକ ଭୋଜନ କକ୍ଷ ନଥିଲା । ୧୪୯୮ରେ ଗୀର୍ଜାର ନିର୍ମାଣ ସରିଥିଲା । ଫୋର୍ଜା ଏହି ଅଂଶକୁ ପରିବାର ସମାଧିପୀଠ ରୂପେ ନିର୍ମାଣ କରିବାର ଯୋଜନା ରଖିଥିଲେ ।[୪] ଫୋର୍ଜା ଏହି ଚିତ୍ରଟିକୁ ସମାଧିପୀଠର ମୁଖ୍ୟ ଆକର୍ଷଣ ରୂପେ ପ୍ରତିଷ୍ଠା କରାଇବାର ଲକ୍ଷ୍ୟ ରଖିଥିଲେ ।[୫] ଚିତ୍ର ଉପରେ ଥିବା ଅର୍ଦ୍ଧ ଚନ୍ଦ୍ରାକାର ଅଂଶରେ ଫୋର୍ଜା ରାଜକୀୟ ସଙ୍କେତ ଅଙ୍କିତ ହୋଇଛି । ଦ ଲାଷ୍ଟ୍ ସପ୍ପର୍ ଚିତ୍ରର ବିପରୀତ କାନ୍ଥରେ ଯୀଶୁଙ୍କୁ କୃଶ ବିଦ୍ଧ କରିବା ସମୟର ଚିତ୍ର ରହିଛି ଯାହା ଜିଓଭାନି ଡୋନାଟୋ ଦା ମୋଣ୍ଟୋର୍ଫାନୋଙ୍କଦ୍ୱାରା ଅଙ୍କିତ । ଲିଓନାର୍ଡ଼ୋ ଏହି ଚିତ୍ରରେ ଫୋର୍ଜା ପରିବାରର କିଛି ସଦସ୍ୟଙ୍କ ଚିତ୍ର ଯୋଡ଼ିଥିଲେ ଓ ଏହି ଚିତ୍ର ମଧ୍ୟ ଲାଷ୍ଟ୍ ସପ୍ପର୍ ଚିତ୍ର ପରି କାଳକ୍ରମେ ବିଲୀନ ହେବାରେ ଲାଗିଛି ।[୬]
ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ ବୋଲି ଯୀଶୁ କହିବା ପରେ ଶିଷ୍ୟମାନଙ୍କ ପ୍ରତିକ୍ରିୟା ଦ ଲାଷ୍ଟ୍ ସପ୍ପର୍ ଚିତ୍ରରେ ଦର୍ଶିତ । ସମସ୍ତ ୧୨ ଶିଷ୍ୟଙ୍କ ପ୍ରତିକ୍ରିୟା ଭିନ୍ନ ଭିନ୍ନ ବୋଲି ଦର୍ଶାଯାଇଛି । ସଭିଙ୍କ ମୁହଁର କ୍ରୋଧ ଓ ଆଶ୍ଚର୍ଯ୍ୟର ଭାବ ଅଲଗା । ଲିଓନାର୍ଡ଼ୋଙ୍କ ପାଣ୍ଡୁ ଲିପିରୁ ଶିଷ୍ୟମାନଙ୍କ ପରିଚୟ ମିଳିଥିଲା ।[୭][୮] ଏହି ପାଣ୍ଡୁଲିପିକୁ ଉନବିଂଶ ଶତାବ୍ଦୀରେ ଉଦ୍ଧାର କରାଯାଇଥିଲା । ପାଣ୍ଡୁଲିପି ମିଳିବା ପୂର୍ବରୁ ଚିତ୍ରରେ କେବଳ ଜୁଡାସ୍, ପିଟର୍, ଜନ୍ ଓ ଯୀଶୁଙ୍କ ପରିଚୟ ଜଣାଥିଲା । ମୂଳ ଚିତ୍ରରେ ବାମରୁ ଡାହାଣକୁ ବସିଥିବା ବ୍ୟକ୍ତିମାନେ ହେଲେ :
ଯୀଶୁଙ୍କ ଅନ୍ତିମ ରାତ୍ରିଭୋଜନର ଦୃଶ୍ୟ ବର୍ଣ୍ଣନା କରୁଥିବା ସମସ୍ତ ସମସାମୟିକ ଚିତ୍ରଙ୍କ ପରି ଲିଓନାର୍ଡୋଙ୍କ ଚିତ୍ରରେ ସମସ୍ତ ଶିଷ୍ୟ ଓ ଯୀଶୁ ଗୋଟିଏ ପଟେ ବସିଛନ୍ତି ଯେପରିକି କେହି ଦର୍ଶକଙ୍କୁ ପଛ କରି ନବସିବେ । ପୂର୍ବ ଚିତ୍ରମାନଙ୍କରେ ଜୁଡାସ୍ ଯୀଶୁଙ୍କ ବିପରୀତ ପଟେ ବସିଥିବା କିମ୍ବା ଜୁଡାସଙ୍କ ବ୍ୟତୀତ ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁଣ୍ଡ ଉପରେ ବୃତ୍ତଦ୍ୱାରା ଚିହ୍ନିତ କରାଯାଇଥିଲା ।
ଲିଓନାର୍ଡୋଙ୍କ ଚିତ୍ରରେ ଜୁଡାସ୍ ଛାୟା ମଧ୍ୟରେ ରହିଛନ୍ତି । ଯୀଶୁ ତାଙ୍କ ନିକଟରେ ଥିବା ରୁଟିକୁ ଇଙ୍ଗିତ କରି ଥୋମାସ୍ ଓ ଜେମ୍ସ୍ (ଜ୍ୟେଷ୍ଠ)ଙ୍କୁ କହୁଛନ୍ତି ଯେ ତାଙ୍କ ବିଶ୍ୱାସଘାତକ ଓ ସେ ଏକା ସମୟରେ ରୁଟି (ବ୍ରେଡ଼୍) ଉଠାଇବେ । ଜନ୍ ଓ ପିଟର୍ଙ୍କ ବାର୍ତ୍ତାଳାପ ଶୁଣୁଥିବା ଜୁଡାସଙ୍କ ହାତ ମଧ୍ୟ ନିକଟସ୍ଥ ରୁଟି ଆଡ଼କୁ ବଢ଼ିଛି । ଯୀଶୁ ରୁଟି ଆଡ଼କୁ ହାତ ବଢ଼ାଉଥିବା ବିଷୟ ଜୁଡାସ୍ ଲକ୍ଷ୍ୟ କରିନାହାନ୍ତି (ମ୍ୟାଥ୍ୟୁଙ୍କ ଶିକ୍ଷାବାଣୀ ୨୬:୨୩) । ଚିତ୍ରର କେନ୍ଦ୍ରବିନ୍ଦୁ ଯୀଶୁଙ୍କ ମୁହଁରେ ରହିଛି ।[୧୦] ଏହି ଚିତ୍ରରେ ଲିଓନାର୍ଡ଼ୋଙ୍କ ଚିତ୍ରକଳାର ନିଖୁଣତା ଦେଖିହେବ । ଚିତ୍ରର କେନ୍ଦ୍ରରେ ଯୀଶୁଙ୍କ ମୁହଁ, ସେ ତଳକୁ ଚାହିଁଥିବାରୁ ବାମ ହାତ ଓ ରୁଟି ଉପରକୁ ଦର୍ଶକର ଦୃଷ୍ଟି ସ୍ୱତଃପ୍ରବୃତ୍ତ ଯାଇଥାଏ ।
ଲିଓନାର୍ଡ଼ୋ ମିଲାନର ଅନାମଧେୟ ସାଧାରଣ ଲୋକଙ୍କ ମୁହଁ ଏହି ଚିତ୍ରରେ ବ୍ୟବହାର କରିଥିଲେ । ଅଳସୁଆ ପରି ଲିଓନାର୍ଡ଼ୋ ମିଲାନର ଗଳିକନ୍ଦିରେ ବୁଲି ଜୁଡାସଙ୍କ ମୁହଁ ପାଇଁ ଏକ ଉପଯୁକ୍ତ ଆସାମୀକୁ ଖୋଜୁଥିବା ଗୀର୍ଜାର ମୁଖ୍ୟ ଫୋର୍ଜା ରାଜାଙ୍କୁ ଅଭିଯୋଗ କରିଥିଲେ । ଯଦି କେହି ନ ମିଳନ୍ତି ତେବେ ମୁଖିଆଙ୍କ ଚେହେରା ପରି ହିଁ ଜୁଡାସଙ୍କ ଚେହେରା ହୋଇପାରିବ ବୋଲି ଲିଓନାର୍ଡ଼ୋ ପ୍ରତ୍ୟୁତ୍ତରରେ କହିଥିଲେ ।[୧୧] ଚିତ୍ରଟି ଅଙ୍କିତ ହେଉଥିବା ସମୟରେ ଲିଓନାର୍ଡ଼ୋଙ୍କ ଜଣେ ଗାଣିତିକ ବନ୍ଧୁ ଲୁକା ପାଚ୍ୟୋଲି ଏହି ଚିତ୍ରକୁ "ମୋକ୍ଷପ୍ରାପ୍ତି ପାଇଁ ମନୁଷ୍ୟର ଦୃଢ଼ ଆକାଂକ୍ଷାର ଚିହ୍ନ (a symbol of man's burning desire for salvation)" ବୋଲି କହିଥିଲେ ।[୧୨]
ପାରମ୍ପରିକ ଚିତ୍ରଠାରୁ ଲିଓନାର୍ଡ଼ୋ ନିଜର ଏହି ଚିତ୍ରରେ ଆଲୋକ ଓ ଛାୟାର ସଠିକ ମାତ୍ରା ଓ ପ୍ରାଞ୍ଜଳ ବିବରଣୀ ଦର୍ଶାଇବାକୁ ଚେଷ୍ଟା କରିଥିଲେ ।[୧୩] ଲାଷ୍ଟ୍ ସପ୍ପର୍ ଚିତ୍ରଟି ଆର୍ଦ୍ର ଚୂନଯୁକ୍ତ କାନ୍ଥ ପରିବର୍ତ୍ତେ ଏକ ଶୁଷ୍କ କାନ୍ଥରେ ଅଙ୍କା ଯାଇଥିଲା । ଆଙ୍କିବା ସମୟରେ ଚିତ୍ର ବଦଳାଇ ହେବନାହିଁ ବୋଲି ଲିଓନାର୍ଡ଼ୋ ଦୁଇ ସ୍ତରର ଶୁଖିଲା ଚୂନବିଶିଷ୍ଟ କାନ୍ଥଟିକୁ ଚୟନ କରିଥିଲେ ।[୧୩] ସେ କାନ୍ଥରେ ଦୁଇଟି ସ୍ତରରେ ଗେସ୍ସୋ, ପିଚ୍ ଓ ମାଷ୍ଟିକ୍ ଲେପ ଦିଆଯାଇଥିଲା ।[୧୪] ଚିତ୍ରକୁ ଅଧିକ ଉଜ୍ଜ୍ୱଳ କରି ଦେଖାଇବା ପାଇଁ ସେ ଧଳା ସୀସାର ଏକ ଲେପ ମଧ୍ୟ ବ୍ୟବହାର କରିଥିଲେ । ଚତୁର୍ଦ୍ଦଶ ଶତାବ୍ଦୀରେ ସେନ୍ନିନୋ ସେନ୍ନିନି ଭିନ୍ନ ଉପାଦାନ ବ୍ୟବହାର କରି ଏହି ପ୍ରଣାଳୀର ବର୍ଣ୍ଣନା କରିଥିଲେ ।[୧୫] ଲିଓନାର୍ଡ଼ୋଙ୍କ ପଦ୍ଧତି ତାଙ୍କୁ ବହୁ ସମୟ ପ୍ରଦାନ କରିଥିଲା ଯାହା ଫଳରେ ସେ ଚିତ୍ରମାନଙ୍କୁ କ୍ରମଶଃ ରଞ୍ଜିତ କରିପାରିଥିଲେ ଓ ତାଙ୍କ ଶୈଳୀ ପାଇଁ ଏହା ଆବଶ୍ୟକ ମଧ୍ୟ ଥିଲା ।
ଦ ଲାଷ୍ଟ୍ ସପ୍ପର୍ ଚିତ୍ରର କିଛି ସୁନ୍ଦର ନକଲ ଚିତ୍ର ରହିଛି । ଏଗୁଡ଼ିକ ଲିଓନାର୍ଡ଼ୋଙ୍କ ସହଯୋଗୀମାନେ ଆଙ୍କିଥିବା ଅନୁମାନ କରାଯାଏ । ନକଲ ଚିତ୍ରଗୁଡ଼ିକ ଆକାରରେ ପ୍ରାୟ ମୂଳ ଚିତ୍ର ପରି ଓ ମୂଳ ଚିତ୍ରର ସମସ୍ତ ବର୍ଣ୍ଣନା ସଠିକ ରୂପେ ଦର୍ଶାଇଥାନ୍ତି ।[୧୭]
ଟୀକା
ଆଧାର
{{cite book}}
: Invalid |ref=harv
(help)